Monday, January 8, 2024

ଖାଲି ତୁମେ ଯାହା ନାହଁ

ଶୈଲେନ ରାଉତରାୟ


ଆକାଶରୁ ଭୁବନେଶ୍ୱରର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଓଡ଼ିଶା ସରକାର

ପହିଲି କାର୍ତ୍ତିକ ମାସର ଉଷୁମ ସକାଳର ତୁଳାଭିଣା ସଫେଦ ବାଦଲ ଅଛି । ମେଘ ଚାରିପଟେ ଲୁସିର ଚିତ୍ରରୁ ଧାର ଅଣା ରଙ୍ଗରେ ତିଆରି ଆକାଶ ଅଛି । ଗଗନରେ ମୋର ପାଣିଚିଆ ପ୍ରେମ ପରି ଖରାର ଧାସ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।

ଖରାବେଳେ ବୁଦ୍ଧ ଜୟନ୍ତୀ ପାର୍କ ଆଗର ସେଇ କାଫେର ନିର୍ଜନତା ଅଛି । ପାର୍କ ଭିତରେ ଲୋକଙ୍କ ଗହଳି ଆଉ ବାହାରେ ଗାଡ଼ିମଟରର ହଇଚଇ ଅଛି । ପବନରେ ଶୀତର ଫ‌ୁସଫୁସିଆ ଛୁଆଁ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।

ଅପରାହ୍ଣର କାନନ ବିହାର ରାସ୍ତାକଡ଼ର କଦମ୍ବର ଛାଇର ପରଶ ଅଛି । ସେଠାର ଗଳିମୋଡ଼ର ବିଭ୍ରାନ୍ତି ଅଛି । ବୁଲା କୁକୁର ଛୁଆ ମାନଙ୍କର ଆକ୍ତି ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।

ସନ୍ଧ୍ୟାର ନନ୍ଦନକାନନ ରାସ୍ତାର ଗହଳଚହଳ ଅଛି । ଚିକ୍‌ମିକ୍‌ ତାରା ଭଳି ଗାଡ଼ିମାନଙ୍କର ଆଲୁଅର ଚିକ୍କଣ ଝାଲର ଅଛି । ରୋଡ଼୍ ଦୁଇ ପାଖର ଦୋକାନଗୁଡ଼ିକର ନିରନ୍ତର ହାତଠରା ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ ।

ତୁମେ ନାହଁ । ହେଲେ ମୁଁ ଅଛି । ଏ ସହର ଅଛି । ଏ ସହରର ସ୍ମୃତି ଅଛି । ସହରରେ ତୁମର ଛୁଆଁ ବି ଅଛି । ହେଲେ ଖାଲି ତୁମେ ଯାହା ନାହଁ । 


No comments:

Post a Comment

ପୁଷ୍ପ ବର୍ଗ ୧୪ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଶାକ୍ୟମୁନି ବୁଦ୍ଧ (ଜାପାନୀ ଚିତ୍ରକଳା)  ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍...