Wednesday, July 15, 2020

ସମ୍ବଲପୁରରେ ୱାଲଡେନ୍ - ୪

 ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ


କଟକ ବାଲିଯାତ୍ରାର ଏକ ଷ୍ଟଲ୍ (ୱିକିମିଡିଆ କମନ୍ସ୍)


ପ୍ରଶ୍ନ  – ଆଗା ଶାହିଦ ଅଲି ଏବଂ ଆପଣ ଦୁଇଚି ପ୍ରଜନ୍ମର ଲୋକ; ଦୁଇଟି ପ୍ରଜନ୍ମର କବି ମଧ୍ୟ । କିନ୍ତୁ ଆପଣଙ୍କର ଓ ଶାହିଦ ଅଲିଙ୍କର କବିତା ମୋତେ ଅନେକ ଦୃଷ୍ଟିରୁ ଗୋଟିଏ କାବ୍ୟ ପରମ୍ପରାର ଅଂଶ ଭଳି ଲାଗେ । ତାଙ୍କର ଧାଡ଼ିର ଛନ୍ଦ, ଅନ୍ଦାଜେ-ବୟାଁ, ସମ୍ପୂର୍ଣ୍ଣ ଭାବରେ ଉର୍ଦ୍ଦୁର; ଯଦିଓ ସେ ଇଂରାଜୀରେ ଲେଖିଛନ୍ତି । ଯଦି ତାଙ୍କର କିଛି ଧାଡ଼ି ଆପଣଙ୍କୁ ଖଟକୁଚି ଆଉ ତାହାକୁ ଆପଣ ସାଙ୍ଗେସାଙ୍ଗେ ଉର୍ଦ୍ଦୁରେ ମନ ଭିତରେ ଅନୁବାଦ କରିଦେବେ, ତାହା ହେଲେ ଆପଣ ଜାଣିଯିବେ ଯେ, ସେ କଅଣ ଓ କିପରି କହିବାକୁ ଚେଷ୍ଟା କରୁଚନ୍ତି । ଆପଣଙ୍କ କବିତାର ବହୁତ ପରିମାଣରେ ଧାଡ଼ି ସେଇଆ । ଆପଣଙ୍କର ଭାଷା ଇଂରାଜୀ କିନ୍ତୁ ବାକ୍‌ଛନ୍ଦ ଓଡ଼ିଆର । ଭାରତ ଭାଇ [ଓଡ଼ିଆ କବି ଭାରତ ମାଝୀ] ଯେତେବେଳେ ଅନୁବାଦ କଲେ ଆପଣଙ୍କର ‘ରିଲେଶନ୍‌ସିପ୍’କୁ, ସିଏ ଅନେକ ପରିଶ୍ରମ ସେବେ କରିଛନ୍ତି । କିନ୍ତୁ, ସେଇଟା ଏକ ଅସମ୍ଭବ ବ୍ୟାପାର ନୁହେଁ । ଧରନ୍ତୁ ଏ.କେ. ରାମାନୁଜନ୍‌ଙ୍କୁ କନ୍ନଡ଼ରେ ଭାଷାନ୍ତରିତ କଲେ ଅନୁବାଦକଙ୍କୁ ଜଳଦ୍‌ଘର୍ମ ହେବାକୁ ପଡ଼ିବ । ସେଇଟା କରିବା ଏତେ ସହଜ ନୁହେଁ । ମୁଁ ଜାଣିନି ଲୋକେ କାହିଁକି ଆପଣଙ୍କ କବିତାକୁ ବେଶି ଓଡ଼ିଆ କରି ନାହାନ୍ତି; କିନ୍ତୁ ତାଙ୍କୁ ଏତେ କଷ୍ଟ ହେବା କଥା ନୁହେଁ ।  ଯେମିତି ଆଗା ଶାହିଦ ଅଲିଙ୍କର କବିତାକୁ ଉର୍ଦ୍ଦୁ କରିବାଟା ଅପେକ୍ଷାକୃତ ଭାବରେ ସହଜ । ଆପଣଙ୍କୁ ଆଗା ଶାହିଦ ଅଲି କବି ହିସାବରେ କେମିତି ଲାଗନ୍ତି ? ସେ ତ ଆରପାରିକୁ ଗଲେଣି ।

ୟନ୍ତ ମହାପାତ୍ର – ଦେଖ । ମୋର ଆଉ ଆଗା ଶାହିଦ ଅଲି ଦୁଇ ଜଣଙ୍କର କବିତା ୧୯୬୮ ମସିହାରେ କଲିକତାରୁ ବାହାରୁ ଥିବା ‘ଲିଭେଣ୍ଟ୍’ ବୋଲି ଗୋଟେ ପତ୍ରିକାରେ ବାହାରିଥିଲା । ମୁଁ ଯେତିକି ତାଙ୍କର କବିତା ପଢ଼ିଚି ମୋତେ ଭଲ ଲାଗିଚି ।

ପ୍ରଶ୍ନ ସେତ ଆମେରିକାରେ ରହି ଇଂରାଜୀରେ ଲେଖୁଥିଲେ । କିନ୍ତୁ ଭାରତରେ ଇଂରାଜୀ କବିତା ଲେଖିବାର ପରମ୍ପରାରେ ପ୍ରାୟତଃ, ଆଉ ଗୋଟିଏ ଭାରତୀୟ ଭାଷା ନ ଜାଣିକି କିମ୍ବା ସେଥିରେ କାମ କରିବାକୁ ନ ଚାହିଁକି, ଇଂରାଜୀରେ କବିତା ଲେଖିବା, ଏପରି ହେଉ ନ ଥିଲା । ଏକ ଦୃଷ୍ଟିରୁ ସବୁ ଭାରତୀୟ ଇଂରାଜୀ କବି ଆଗରୁ ପ୍ରାୟତଃ ଦ୍ୱିଭାଷୀ ଥିଲେ । କିନ୍ତୁ ଏବେ ସେ ଦ୍ୱିଭାଷୀତାଟା ତ କମିକମି ଚାଲିଚି । ଭାରତରେ ଇଂରାଜୀ କବିମାନଙ୍କ ଭିତରେ ଏଇ କମିଯାଉଥିବା ଦ୍ୱିଭାଷିତାର ପରିଣାମ କଅଣ ?

ୟନ୍ତ ମହାପାତ୍ର – ତୁମକୁ ଲାଗୁଛି ତାହା କମୁଚି ବୋଲି ? ମୋତେ ସେମିତି ଲାଗୁନି ଶୈଲେନ ।  ମୋତେ ଯାହା ବୁଝା ପଡ଼ୁନି, ତାହା ହେଲା, ଯଦି ଜଣଙ୍କ ନିଜ ମାତୃଭାଷାରେ ବ୍ୟୁତ୍ପୁତି ଅଛି, ତାହେଲେ ସେ ଇଂରାଜୀରେ କବିତା ଲେଖିବାକୁ ଯିବ କାହିଁକି । ନିଜ ଭାଷା କବିତା ଲେଖିବା ପାଇଁ ସବୁଠୁ ଭଲ । ସେଇଟା ହିଁ କଥା । ହେଲେ ଏବେ ଲୋକେ କାହିଁକି ଯେ ଅନ୍ୟଥା କରୁଚନ୍ତି, ଜଣାନାହିଁ । ନା । ଏ ବିଷୟରେ ମୁଁ ତମ ସହ ରାଜି ନୁହେଁ, ଯେ ଦ୍ୱିଭାଷୀତା କମୁଚି । ଏବେ ବି କିଛି ଲୋକେ ଦୁଇଟି ଭାଷାର ବ୍ୟବହାର କରୁଚନ୍ତି । ଆଉ ଆଗରୁ ଯେ ଅନେକ ଦ୍ୱିଭାଷୀ କବି ଥିଲେ, ତାହା ବି ନୁହେଁ । 

କଟକସ୍ଥ ନୌବାଣିଜ୍ୟ ସଙ୍ଗ୍ରହାଳୟ (ୱିକିମିଡିଆ କମନ୍ସ୍)

ପ୍ରଶ୍ନ – କଟକର ମାରୁଆଡ଼ି ପଟିର କଚୁଡ଼ି, ସମ୍ବଲପୁରର ଟାଉନ ହୋଟେଲର ବିରି ବରା, ବାଲେଶ୍ୱରର ଆଟମ୍ ବମ୍ ଆଳୁଚପ୍, ସୁକିନ୍ଦାର ଆଦିବାସୀ ଗାଁରେ ପୋଡ଼ା ବାର୍ହା ମାଂସ ଆଦି ବିଷୟରେ ଆପଣଙ୍କ ଆତ୍ମଜୀବନାରେ ବେଶ୍ ବର୍ଣ୍ଣନା ଅଛି । ଏଠିତ ଆପଣ ପଚାଶ ବର୍ଷରୁ ବେଶି ରହିଲେଣି ବୋଧହୁଏ । ଆପଣଙ୍କୁ କଅଣ ସବୁ ଖାଇବାକୁ ଭଲ ଲାଗୁଥିଲା, ଯାହା ଆଗରୁ ମିଳୁଥିଲା, ହେଲେ ଆଖପାଖରେ ଆଉ ମିଳୁନାହିଁ  ?

ୟନ୍ତ ମହାପାତ୍ର – ଏଇ ଯୋଉ ପର୍ବପର୍ବାଣୀ ହେରିକା ହୁଏ, ରଜ ହେଲା, ପିଠାପଣା, ଘାଣ୍ଟ ତରକାରି, ପିଠା, ୟାଡୁ ସିଆଡ଼ୁ ଆସିବ । ଆମ ସାଙ୍ଗମାନେ ଜାଣନ୍ତି । ଦୀପକ ସାମନ୍ତରାୟ ଇତ୍ୟାଦି ମୋ ପାଇଁ  ଦହିବରା ଆଳୁଦମ ଆଣି ଦିଅନ୍ତି ।  ଆରିସା ପିଠା ଯୋଉ ବିକ୍ରି ହୁଏ, ବୋତଲରେ ଥୁଆ ହୋଇଥିବ, ମୋତେ ଭଲ ଲାଗେ । ବହୁତ ଜିନିଷ ତ ସେମିତି ଆଉ ମିଳୁନି । ଖସା ଲଡ଼ୁ ଏମିତି ସବୁ ଆଗରୁ ମିଳେ । ଗୁଡ଼ ଦେଇକି ତା'କୁ କରନ୍ତି । ଆଉ ମିଳୁନି । ଏଇ ଛୋଟ ଛୋଟ ବଏଲ୍‌ଡ଼୍ ସୁଇଟ୍ସ୍ । ମିଠେଇ ଯୋଉଟାକୁ କୁହନ୍ତି । ଲଜେଞ୍ଜେସ୍ । ମିଠା ନୁହେଁ । ମିଠେଇ । ବେଶି ମିଳୁନି ଆଉ ।

ପ୍ରଶ୍ନ - ଆପଣ ଯେତେବେଳେ କବିତା ଲେଖିବା ଆରମ୍ଭ କଲେ, ସେତେବେଳେ ବମ୍ବେରେ ଗୋଟେ ମିଥ୍ୟା-ଶ୍ଳେଷାତ୍ମକ (ମକ୍-ଆଇରନିକାଲ୍) ସ୍ୱରରେ କବିତା ବେଶି ଲେଖା ହେଉଥିଲା । କିନ୍ତୁ ସେଇ ସମୟରେ ଲିଖିତ ଆପଣଙ୍କର କବିତାଗୁଡ଼ିକ ଭାବସର୍ବସ୍ୱ, ଯଦିଓ ସେଥିରେ ଅନେକ ବୌଦ୍ଧିକ କାମ ମଧ୍ୟ ଅଛି । ଯଦି ଆପଣଙ୍କୁ ଆମେ ଭାରତୀୟ ଇଂରାଜୀ କବିତାର ଗୋଟିଏ ପରମ୍ପରାର ଜନକ ହିସାବରେ ଦେଖିବା, ତାହାହେଲେ ଆଉ କାହାକାହାକୁ ସେହି ପରମ୍ପରାର ବାହକ ଭାବରେ ଆପଣ ଦେଖୁଛନ୍ତି ? ଯେଉଁମାନଙ୍କର କବିତା ଆତ୍ମସଚେତନ ଭାବରେ ବୁଦ୍ଧିବାଦୀ ନୁହେଁ, ବରଂ ଭାବପ୍ରଧାନ । 

ୟନ୍ତ ମହାପାତ୍ର – ଉତ୍ତରପୂର୍ବ ଭାରତରେ ଆଜିକାଲି ଅନେକ ଲେଖା ହେଉଚି ସେମିତି । କିନ୍‌ଫାମ୍ [କିନ୍‌ଫାମ୍ ସିଂ ନଂକିନ୍‌ରିହ୍] ବୋଲି ମୋର ଗୋଟେ ସାଙ୍ଗ, ରବିନ୍ [ରବିନ୍ ଏସ୍. ନ୍ୟାଂନ୍ୟମ୍] ବୋଲି ମୋର ଆଉ ଗୋଟେ ସାଙ୍ଗ, ନବନୀତା ବୋଲି ଗୋଟେ ଝିଅ, ଏମାନେ ବହୁତ ଭଲ ଲେଖୁଚନ୍ତି । ଆଉ ସେମାନେ ତାଙ୍କର ନିଜ ଯାଗା ବିଷୟରେ ଲେଖୁଚନ୍ତି । ତାଙ୍କର ଚେର ସେଇଠି ଅଛି । ତୁମେ ଯେବେ କବିତା ବିଷୟରେ କଥା ହୁଅ, କାବ୍ୟ ତୁମେ ବଞ୍ଚୁଥିବା ଜାଗାରୁ ହିଁ ବାହାରେ । ମୋର ଅନେକ ସୁଯୋଗ ଥିଲା ଆମେରିକାକୁ ଯାଇଁ ଗୋଟେ ବିଳାସୀ ଜୀବନ ଯିଇଁବା ପାଇଁ । ହେଲେ ମୁଁ ତାହା କରି ପାରିଲିନି । କାହିଁକି ଜାଣେନା, ହେଲେ ମୋ ଦେଇ ତାହା ସମ୍ଭବ ହେଲାନି । ମୁଁ ଜାଣିନି କଅଣ ପାଇଁ । କିନ୍ତୁ ମୋତେ କଟକରେ ବହୁତ ଭଲ ଲାଗେ । ସେହି ଯୋଗୁଁ ମୁଁ ଯାଇ କରି ଆଉ କେଉଁଠି ରହି ପାରେନି । ଏଇଠି ରହିଛି । ବାସ୍ ସେତିକି ।

ବାଦାମବାଡ଼ି ବସଷ୍ଟାଣ୍ଡ (ୱିକିମିଡିଆ କମନ୍ସ୍)

 ପ୍ରଶ୍ନ - ଦେବାନନ୍ଦ ବାବୁଙ୍କ ସହିତ ଆପଣଙ୍କର ସମ୍ପର୍କ ସହିତ କିଛି କଥା ହେବାକୁ ଚାହିଁବି । ସେ କେବେ ଦିଲ୍ଲୀ ଗଲେ । ଆପଣ ଚନ୍ଦ୍ରଭାଗାର ପ୍ରଥମ ସିରିଜ୍‌‌ର ଚଉଦଟି ସଙ୍ଖ୍ୟା ବାହାର କରିବାର ପରେ ? କିନ୍ତୁ କେବେ ?

ୟନ୍ତ ମହାପାତ୍ର –  ସେ ଯାଇ ଦିଲ୍ଲୀରେ ଓକିଲାତି କଲା । ସେ ବଢ଼ିଆ ଓକିଲ ଥିଲା । ତା’ର ଇଂରାଜୀ, ଦୃଷ୍ଟିଭଙ୍ଗୀ, ତର୍କ – ଏ ସବୁ ଚମତ୍କାର ଥିଲା । ମୁଁ ତାକୁ ମାମଲା ଲଢ଼ିବାର ଦେଖିଚି । ସେ ନିଜ କାମରେ ବହୁତ ଭଲ ଥିଲା । ସେ ଦିଲ୍ଲୀ ଚାଲିଗଲା । ଅନେକ ଦିନ ପରେ ଫେରିଲା । ଫେରି ଆସି ଚନ୍ଦ୍ରଭାଗାକୁ ଆଉ ଥରେ ଜୀବନ ଦେଲା । ମୋତେ କହିଲା, ‘ସାର୍, ଆମେ ଆଉ ଥରେ ଚନ୍ଦ୍ରଭାଗା ଆରମ୍ଭ କରିବା ।’ ପୁଣି ଥରେ କାମ ଜମି ଆସୁଥିଲା । ଆମେ ଦୁଇଦୁଇଟା କବିତା ବୈଠକିର ଆୟୋଜନ କଲୁ । ଚନ୍ଦ୍ରଭାଗା ଆଉ ଥରେ ପୁଣି ଆରମ୍ଭ ହେଲା । ଫେରି ଆସିବାର ବର୍ଷେ ହେଇଚି କି ନାହିଁ ସେ ହଠାତ୍ ଚାଲିଗଲା । ମୋ ପାଇଁ ସେଇଟା ଗୋଟେ ଭୟଙ୍କର ସମୟ ଥିଲା । ପୁଅଟିଏ ଚାଲିଗଲା ଭଳି କଥା । ଆଠ ବର୍ଷ ହେଲାଣି ସେ ଯିବାର । ଦେବାନନ୍ଦର ମୋର ବହୁତ ବୁଲାବୁଲି କରିଚୁ । ତା’ର ଯୋଉଠି କାମ ଥାଏ, ସେ ମୋତେ ନେଇ ଯାଏ । ମୁଁ କେତେ ଖୁସି ଥିଲି, ସେ ଫେରି ଆସିଲା ପରେ । ଆଉ ତା’ ପରେ ମୁଁ ନିଜ ପୁଅକୁ ହରେଇଲି । ଏଇ ଦେଢ଼ ଦୁଇ ବର୍ଷ ତଳେ ।  

ପ୍ରଶ୍ନ - କୋଲଟକରଙ୍କର କିଛି କବିତା ଅଛି ଉଭୟ ଇଂରାଜୀ ଓ ମରାଠୀରେ, ଯାହାକୁ ଦେଖି ଜାଣିବା କଷ୍ଟ କି କୋଉଟା ମୂଳ କେଉଁଟା ଅନୁବାଦ ଆପଣଙ୍କର କିଛି କବିତାର ଯୋଡ଼ି ଅଛି ଇଂରାଜୀ ଓଡ଼ିଆରେ, ଯାହା ଭିତରର ସମ୍ପର୍କ ଅନୁବାଦର ସମ୍ପର୍କ ନୁହେଁ ମୁଁ ଗୋଟିଏ ଉଦାହରଣ ଦେଉଛି ଧରନ୍ତୁବାୟାରାଜାବହିରେଆମ୍ବଗଛବୋଲି ଗୋଟିଏ କବିତା ଅଛି, ଆଉଲାଏ ଅଫ୍ ଡନ୍ସ୍ବହିରକୋଲାବରେଶନ୍କବିତାଟି ଉଭୟ କବିତା ଗୋଟିଏ ହିଁ ଅନୁଭୂତିରୁ ସୃଷ୍ଟ ହେଲେ କେଉଁଟା ବି ଅନ୍ୟଟିର ଅନୁବାଦ ନୁହଁ  

ଜୟନ୍ତ ମହାପାତ୍ର – ଉଭୟ ଇଂରାଜୀ ଓ ଓଡ଼ିଆ କବିତା ମୋ ନିଜର ଅନୁଭୂତିରୁ ହିଁ ଆସିଚନ୍ତି । ଯଦି ତୁମେ ମୋର ଇଂରାଜୀ ଓ ଓଡ଼ିଆ କବିତାଗୁଡ଼ିକୁ ଏକାଠି ଧରି ରଖିବ, ତାହା ହେଲେ ମୋର ଜୀବନର ଏକ ରୂପ ତିଆରି ହେଇଯିବ । ତୁମେ ଯେଉଁ କବିତା ଯୋଡ଼ିଟି କଥା କହିଲ, ତାଙ୍କର ସମ୍ପର୍କଟି ବିଷୟରେ ତୁମେ କହିଲା ପରେ ହିଁ ଆଜି ଯାଇଁ ମୁଁ ସଚେତନ ହେଲି । ଯଦିଓ ଦୁଇଟି ଯାକ ଅଲଗା ମଧ୍ୟ । ‘ଆମ୍ବଗଛ’ କବିତାଟି ସିଧା ମୋର ରକ୍ତମାଂସରୁ ଆସିଚି, ସେଇଟି ଟିକେ ଅଧିକ ଅନ୍ତରଙ୍ଗ । କବିତାଟି ସିଧା ସେଇ ଜୟନ୍ତ ମହାପାତ୍ର - ଯିଏ ନିଜ ବାପାଙ୍କ ସହିତ ଥିଲା ଆଉ ବାପା ପୁଅ ମିଶି ଗଛଟି ରୋଇଥିଲେ - ତାହାଠୁଁ ଆସିଚି । ସେଇ ଅନ୍ତରଙ୍ଗତା ଇଂରାଜୀ କବିତା ‘କୋଲାବରେଶନ୍‌’ରେ ନାହିଁ । ସେଇଟି ଗୋଟେ ପୂରା ଅଲଗା କବିତା । ତାହା ଉପରେ ମୁଁ ଇଂରାଜୀ ଭାଷାରେ ପଢ଼ିଥିବା ଅନେକ କବିତାର ପ୍ରଭାବ ମଧ୍ୟ ଅଛି । କିନ୍ତୁ ‘ଆମ୍ବଗଛ’ କବିତାଟି ଆସିଚି ସିଧା ମୋର ମାନସରୁ, ମୋର ଅନୁଭୂତିରୁ । ସେଇଥିରୁ ବୋଧହୁଏ ଏଇ ଦୁଇଟି କବିତା ଭିତରେ ଥିବା ସମ୍ପର୍କର କିଛି ଖିଅ ମିଳିପାରେ ।

ପ୍ରଶ୍ନ  – ଆପଣ ବହୁତ ଅନୁବାଦ ବି କରିଛନ୍ତି । ନିଜେ କରିଥିବା ଅନୁବାଦଗୁଡ଼ିକ ଭିତରୁ କେଉଁଟି ଆପଣଙ୍କୁ ଭଲ ଲାଗେ

ଜୟନ୍ତ ମହପାତ୍ର – ମୁଁ ରୁଦ୍ର ସୁଧାନିଧିର ଯେତେକ ଅଂଶ ଅନୁବାଦ କରିଚି, ମୋତେ ଭଲ ଲାଗିଚି । ଜଣେ ସାଧୁ ଯେ ଏପରି ଗ୍ରନ୍ଥଟିଏ ଲେଖିବେ, ତାହା ଗୋଟେ ଆଶ୍ଚର୍ଯ୍ୟଜନକ ବିଷୟ । ଅବଶ୍ୟ ଏହା ଗୋଟିଏ କଠିନ ବହି ଆଉ ଅନେକ ଭାବରେ ମୋର କ୍ଷମତାର ବାହାରେ ଥିଲା । ମୁଁ ଖୋଜିଲି ଯିଏ ମୋ ପାଇଁ ଟିକେ ସେ ବିଷୟରେ ବ୍ୟାଖ୍ୟା କରି ପାରିବେ । କିନ୍ତୁ ମୁଁ ସେପରି କାହାକୁ ଖୋଜି ପାଇଲି ନାହିଁ । 

ବାରବାଟୀ ଦୁର୍ଗ (ୱିକିମିଡିଆ କମନ୍ସ୍)

ପ୍ରଶ୍ନ – ମୁଁ କହିବି ମୋତେ କାହିଁକି ସେଇ ଟେକ୍ସ୍‌ଟ୍ ଟି ଭଲ ଲାଗେ ? ଆପଣ ଯେମିତି କଟକିଆ ମୁଁ ସେମିତି ଭୁବନେଶ୍ୱରିଆ । ଯେତିକି ଦୂର ଜଣା, ବହିଟିର ଲେଖକ ନାରାୟଣ ଅବଧୁତ ସ୍ୱାମୀ ଭୁବନେଶ୍ୱରର ଲୋକ । ଆପଣ ଯଦି ବଡ଼ ପାଟି କରି ସେ ବହିଟିକୁ ପଢ଼ିବେ, ଆପଣ ନ ବୁଝନ୍ତୁ ମଧ୍ୟ ତ ସେ ବାକ୍ୟଗଠନର ଯାଦୁ ଆପଣଙ୍କ ଭିତରେ ଭେଦିବ । ଭାବନ୍ତୁ ଏଇଟା ଓଡ଼ିଆ ଭାଷାର ବୋଧହୁଏ ପ୍ରଥମ ଗଦ୍ୟ । ପଛକୁ ଫେରି ଚାହିଁ ଦେଖି ଶିଖିବା ଲାଗି ତାଙ୍କ ପାଇଁ ବୋଧ ହୁଏ ପରମ୍ପରାଟିଏ ନ ଥିଲା ।

ଜୟନ୍ତ ମହପାତ୍ର - ହଁ ହଁ । ବୁଝିଲି । ବହୁତ ଭଲ । ପୂରା ଆଶ୍ଚର୍ଯ୍ୟଜନକ ।  ସେମିତି ବାକ୍ୟ ଲେଖିବା ଭାରି କଷ୍ଟ । ବହୁତ ପରିଶ୍ରମ ପଡ଼େ ।

ପ୍ରଶ୍ନ – ଆପଣଙ୍କ ସମୟରେ ଆଉ ଏବେ ମଧ୍ୟ ଇଂରାଜୀରେ ଏତେ ଲୋକ ଲେଖିବାକୁ ଚାହୁଁଚନ୍ତି । ବର୍ତ୍ତମାନ ଯିଏ ଲେଖୁଚି ଇଂରାଜୀରେ, ତାହା କବିତା ହେଉ କିମ୍ବା ଅନ୍ୟ କିଛି ବି ହେଉ, ଗପ ହେଉ, ନାଟକ ହେଉ, ଆଉ ଯ।ହା କିଛି ବି ହେଉ, ଇଂରାଜୀ ଭାଷାରେ ଏବେ ‘ଇଣ୍ଡିଆନ୍ ଲିଟେରେଚର୍‌’କୁ ଛାଡ଼ିଦେଲେ ପ୍ରିଣ୍ଟ୍‌ରେ ସାହିତ୍ୟ ପତ୍ରିକା ଆଉ ପ୍ରାୟତଃ କିଛି ନାହିଁ । ଯଦି ଜଣେ ଲେଖିବ, ତାହାହେଲେ ଭାରତ ବାହାରକୁ ନ ପଠାଇ କିଛି ଉପାୟ ନାହିଁ । କିନ୍ତୁ ଠିକ୍ ସେଇ ସମୟରେ ଇଂରାଜୀ ପ୍ରକାଶନରେ ଏକ ବିରାଟ ବିସ୍ଫୋରଣ ଘଟିଛି । ଏହା କିପରି ସମ୍ଭବ ? ଅନେକ ଇଂରାଜୀ ଖବରକାଗଜରେ ତ ଆଗରୁ ସାହିତ୍ୟ ପୃଷ୍ଠା କିଛି  ଥିଲା । ସେତକ ବି ଆଉ ନାହିଁ । ଗତି ତ ଓଲଟା ଆଡ଼କୁ ।

ୟନ୍ତ ମହାପାତ୍ର – ମୁଁ ମଧ୍ୟ ଏହା ବୁଝି ପାରିନି । ଭାବିଚି ଅନେକ । କିନ୍ତୁ କିଛି କାରଣ ଖୋଜି ପାଇନି କି ଇଂରାଜୀରେ ସୃଜନଶୀଳ ସାହିତ୍ୟ ପାଇଁ କାହିଁକି ଭଲ ଷ୍ଟାଣ୍ଡାର୍ଡ଼ ପତ୍ରିକା ଖଣ୍ଡିଏ ନାହିଁ । ‘ଟେଲିଗ୍ରାଫ୍‌’ର ସାହିତ୍ୟ ପୃଷ୍ଠା ମୁଁ ସମ୍ପାଦନା କରୁଥିଲି କେତେ ବର୍ଷ ପାଇଁ । ସେଇଟା ଅନେକ ଭଲ ହେଉଥିଲା । ‘ସଣ୍ଡେ ଏଜ୍’ ଗୋଟେ ଦିଲ୍ଲୀରୁ ବାହାରୁଥିଲା । ସେମାନେ କିଛି କବିତା ଛପାଉଥିଲେ । ଇଂରାଜୀ ଖବରକାଗଜମାନେ ସାହିତ୍ୟ ପାଇଁ ଅତି କମ୍‌ରେ ମାସକୁ ପୃଷ୍ଠାଟିଏ ଦେବା କଥା । ମୁଁ ଏଇଟା ଏ ପର୍ଯ୍ୟନ୍ତ ବୁଝି ପାରିନି କି, ଆମେ ଦିନକୁଦିନ ଇଂରାଜୀରେ ବେଶିରୁ ବେଶି ଲେଖି ଚାଲିଚେ, ହେଲେ ସୃଜନଶୀଳ ସାହିତ୍ୟ ପାଇଁ ନିୟମିତ ପତ୍ରିକାଟିଏ ଚଲାଇ ପାରୁନେ । ବୋଧହୁଏ ଆମର ଭଲ ସମ୍ପାଦକ ନାହାନ୍ତି, ଆଉ ସେଇଥି ପାଇଁ ଭଲ ପତ୍ରିକାଟିଏର ମଧ୍ୟ ଅଭାବ ରହୁଚି ।

ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ଏଇ ଚତୁର୍ଥ ଭାଗ ସହ ସାକ୍ଷାତକାରଟି ଏହିଠାରେ ଶେଷ ହେଲା । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।

Thursday, July 9, 2020

ସମ୍ବଲପୁରରେ ୱାଲଡେନ୍ - ୩

 ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ


୧୯୧୧ରେ ଉତ୍ତୋଳିତ ସେ ସମୟର କଟକର କମିଶନରେଟ୍ ହାଉସ୍‌ର ଫଟୋ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ପ୍ରଶ୍ନ  – ଆପଣଙ୍କ ପ୍ରଥମ ଇଂରାଜୀ ବହି ଦୁଇଟି, ‘କ୍ଲୋଜ୍ ଦି ସ୍କାଏ ଟେନ୍ ବାଏ ଟେନ୍’ ତଥା ‘ସ୍ୱୟମ୍ବର୍ ଆଣ୍ଡ ଅଦର୍ ପୋଏମ୍ସ୍’ ୧୯୭୧ରେ ଛପା ହେଇଥିଲା । ଆପଣ ପ୍ରଥମେ ଇଂରାଜୀରେ କବିତା ଲେଖିବା ଆରମ୍ଭ କଲେ ତାହାର ପାଞ୍ଚ ବର୍ଷ ପୂର୍ବେ ଆପଣଙ୍କର ପ୍ରଥମ ଓଡ଼ିଆ କବିତା ବହିବଳି’ ଛପା ହେଲା ୧୯୯୩ ମସିହାରେ, ଅର୍ଥାତ୍ ତାହାର ୨୨ ବର୍ଷ ପରେ ଆପଣ ପ୍ରଥମେ କେବେ ଓଡ଼ିଆ କବିତା ଲେଖିବାକୁ ଛପାଇବାକୁ ଆରମ୍ଭ କଲେ ? ପ୍ରଥମେ କେଉଁଠି ଲେଖିଲେ ଯେତେବେଳେ ଓଡ଼ିଆରେ ଲେଖିଲେ, କେଉଁକେଉଁ ପତ୍ରିକାକୁ ଲେଖା ପଠାଉଥିଲେ ?

ଜୟନ୍ତ ମହାପାତ୍ର – ସେତେବେଳେ ହିଁ ମୁଁ ଆରମ୍ଭ କଲି, ୧୯୯୩ ବେଳକୁ ଆଗରୁ ଓଡ଼ିଆରେ କେବେ ଲେଖି ଥିଲି ଭାବି ନଥିଲି କେବେ ଓଡ଼ିଆରେ ଲେଖିବି ବୋଲି, ଯେତେବେଳେ ଇଂରାଜୀରେ ଲେଖୁଥିଲି କାରଣ ସବୁ କବିମାନେ ଓଡ଼ିଆରେ ଲେଖି କରି ଇଂରାଜୀକୁ ଯାଆନ୍ତି   ମୁଁ ଜାଣିନି କାହିଁକି ଓଡି଼ଆରେ କବିତା ଲେଖିବାକୁ ଆରମ୍ଭ କଲା ପରେ ଏଇ ସ୍ଥାନୀୟ ପତ୍ରିକାମାନଙ୍କୁ ପଠାଇବାକୁ ଆରମ୍ଭ କଲି, 'ଝଙ୍କାର' ଆଦି ସେତେବେଳେ ବହୁତ ପତ୍ରିକା ଥିଲା  

ପ୍ରଶ୍ନ  – ବିଦ୍ୟାପୁରୀର ପିତାମ୍ବର ମିଶ୍ର ଆପଣଙ୍କର ପ୍ରାୟତଃ ଓଡ଼ିଆ ବହି ଛପେଇଚନ୍ତି  କିନ୍ତୁ ଆପଣଙ୍କର ଇଂରାଜୀ ବହିଗୁଡ଼ିକ ଭିନ୍ନ ଭିନ୍ନ ଜାଗାରେ ଛପା ହେଇଚି ପିତାମ୍ବର ମିଶ୍ରଙ୍କ ସହ ଆପଣଙ୍କ ସମ୍ପର୍କ ବିଷୟରେ ଆପଣ ଆମକୁ ଟିକେ କହିବେ ? ପ୍ରଥମେ କେମିତି ଭେଟ ହେଲେ ? କେମିତି ଜାଣିଲେ ?

ଜୟନ୍ତ ମହାପାତ୍ର – ପ୍ରଥମେ ମୁଁ ଲେଖୁଥିଲି ଛପା ହେଲାଠୁ ଭାବିଲି ବହି ଗୋଟେ କରିବି ସୁଲୋଚନା ବୋଲି ମୋର ଜଣେ ଭଲ ସାଙ୍ଗ ଥିଲେ । ଆମେ ଏକାଠି ପଢ଼େଇଥିଲୁ ସୁଲୋଚନାଙ୍କର ତାଙ୍କ ସହ ଚିହ୍ନାପରିଚୟ ଥିଲା । ମୁଁ ମୋର ପାଣ୍ଡୁଲିପି ଧରି ତାଙ୍କ ସହ ପିତାମ୍ବର ମିଶ୍ରଙ୍କ ପାଖକୁ ଗଲି । ସେ କହିଲେ ଛାପିବେ ବୋଲି । ବାସ୍ ସେତିକି ।  ମୁଁ ତାଙ୍କୁ ତାହା ଆଗରୁ ଜାଣି ନ ଥିଲି ।  

ପ୍ରଶ୍ନ  – ଆପଣଙ୍କ ଆତ୍ମଜୀବନୀଭୋର୍ ମୋତିର କାନଫୁଲ’ରେ ଆପଣ ଅଗଷ୍ଟ କ୍ରାନ୍ତି ସମୟର ଶୋଭାଯାତ୍ରା, ସେହି ସମୟରେ ପୋଲିସ ଅତ୍ୟାଚାର ଆଉ ତାହାର ତିନି ବର୍ଷ ପରେ ହୀରୋସିମାରେ ପରମାଣୁ ବୋମା ମାଡ଼ ହେବା ବିଷୟରେ ବର୍ଣ୍ଣନା କରିଚନ୍ତି ସେଇଟା ବୋଧେ ବାହ୍ୟଜଗତ ବିଷୟରେ ଆପଣଙ୍କର ପ୍ରଥମ ବର୍ଣ୍ଣନା ଏବେ ଯଦି ଆପଣ ଭାବିବେ, ସେଇଟା ଆପଣଙ୍କର ବାହ୍ୟ ଜଗତ ବିଷୟରେ ସଚେତନ ହେବାର ପ୍ରଥମ ଘଟଣା ନା ସେ ବିଷୟରେ ଆପଣଙ୍କର ଆଉ କିଛି ସ୍ମୃତି ଅଛି ? ୧୯୪୨ ମସିହା ବେଳକୁ ଆପଣଙ୍କୁ ତେର ବର୍ଷ ହୋଇଥିବ ?

୨୦୧୨ରେ ଉତ୍ତୋଳିତ କଟକର ଗୋଟିଏ ଗୁପଚୁପ ଦୋକାନ (ୱିକିମିଡିଆ କମନ୍ସ୍)

ଜୟନ୍ତ ମହାପାତ୍ର – ଆମ ଘରକୁ ବାପାଷ୍ଟେଟ୍ସ୍‌ମ୍ୟାନ୍’ ଖବରକାଗଜ ଆଣୁଥିଲେ ବାପା ଇଂରାଜୀରେ ବିଏ ପାସ୍ କରି ଗୋଟେ ସବ୍ଇନ୍ସ୍ପ୍‌ପେକ୍ଟର୍ ଅଫ୍ ସ୍କୁଲ୍ସ୍ ଥିଲେ ମତେ ପଢ଼ଉଥିଲେ ଷ୍ଟିୱାର୍ଟ ୟୁରୋପିଆନ୍ ସ୍କୁଲରେ ଆଉ ସେଇ ଯୋଗୁ ସିଏ ଷ୍ଟେଟ୍ସ୍ମ୍ୟାନ୍ ଆଣନ୍ତି ଆଉ ମୁଁ ଷ୍ଟେଟ୍ସ୍ମ୍ୟାନ୍ ଦେଖେ ଆଉ ସେଉଠୁ ମୁଁ ଦେଶଦୁନିଆ ବିଷୟରେ ଟିକେ ଜାଣିଲି କଅଣ କଅଣ ହଉଚି, କଅଣ ନାଇଁ, ମୁଁ ସେ ବିଷୟରେ ଜାଣିବାକୁ ଆଗ୍ରହୀ ଥିଲି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଷୟରେ ଜାଣିବାର ଇଚ୍ଛା ଥିଲା । ମୋର ହିଟଲର୍ ପ୍ରତି କେମିତି ଗୋଟେ ଆକର୍ଷଣ ଥିଲା । ଭାରତରେ ବ୍ରିଟିଶ ଶାସନ ଚାଲିଥିଲା । ଆମେ ଚାହୁଁଥିଲୁ ସେମାନେ ଭାରତ ଛାଡ଼ି ଚାଲି ଯାଆନ୍ତୁ । ଏଣୁ ବ୍ରିଟିଶ ସାମ୍ରାଜ୍ୟର ଯିଏ ଶତୃ, ସେ ଥିଲା ମୋର ବନ୍ଧୁ । ମୁଁ ସେତେବେଳେ ସେୟା ଭାବୁଥିଲି ।

ପ୍ରଶ୍ନ  – ଏବେ ସାର୍ବଜନୀନ ଜୀବନରୁ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ଜୀବନ ଆଡ଼କୁ ଆସିବା ଆପଣ ଅନ୍ଧାରକୁ ବହୁତ ଭଲ ପାଆନ୍ତି ଅଶି ନବେ ବର୍ଷ ପୂର୍ବର କଟକର ସଞ୍ଜର ଅନେକ ତରଳ ବର୍ଣ୍ଣନା ଆପଣଙ୍କ ଆତ୍ମଜୀବନୀରେ ଅଛି ଅଛି ଚିତ୍ର ମଧ୍ୟ ସମ୍ବଲପୁରର ରାତିର ହେଲେ ଆପଣଙ୍କର ଅନ୍ଧାର ପ୍ରତି ଡର ଥିବାର ବି ଅନେକ ଜାଗାରେ ଉଲ୍ଲେଖ କରଛନ୍ତି ଏବେ ଅନ୍ଧାର ସହିତ ଆପଣଙ୍କର ସମ୍ପର୍କ କଅଣ

ଜୟନ୍ତ ମହାପାତ୍ର – ଭଲ ପାଏ ବୋଲି କେମିତି କହିବ ? ଅନ୍ଧାର ହଉଚି ଆମ ଦୁନିଆର ଏକ ଅଂଶ, ଆମ ଜୀବନର ଏକ ଭାଗ । ମୁଁ ତାକୁ ସେମିତି ଦେଖେ । ଏବେ ବି ଅନ୍ଧାର ପ୍ରତି ପିଲା ଦିନେ ଯ।ହା ସମ୍ପର୍କ ଥିଲା, ସେମିତି ଟିକେ ଟିକେ ଅଛି ପିଲାବେଳେ ଆମେ ଯେଉଁ ଘରେ ଥିଲୁ, ସେ ଘରଟା ସାହିର ଗୋଟାଏ ଶେଷରେ ଆଉ ତା’ ଚାରି ପାଖେ ବଡ଼ବଡ଼ ଦେବଦାରୁ ଗଛଗୁଡ଼ାଏ ଥାଏ ସେତେବେଳେ ବିଜୁଳିବତୀ ଆମର ନଥିଲା । ଦେବଦାରୁ ଗଛର ଡାଳ ଦେଇ ଚିତ୍କାର କରୁଥିବା ପବନ ଓ ବାଦୁଡ଼ିମାନଙ୍କର ହଇଚଇ ମୋ ପାଖକୁ ଅଜଣା ଭୟସବୁକୁ ବୁହାଇ ଆଣୁଥିଲା । ପଢ଼ା ଘରେ ରାତିର ଅନ୍ଧାରରେ ପଢ଼ିବାକୁ ବସିଥିବା ବେଳେ କିରାସିନି ବତୀର ଛାଇ ମୋର ଏବେ ବି ମନେ ଅଛି । ଏ ସବୁ କିଛି ମୋ' ଭିତରେ ଏମିତି ଭୟ ଭରିଦେଲା ଯେ, ତାହା ଭିତରୁ ମୋତେ ବାହାରିବାକୁ ବହୁତ ସମୟ ଲାଗିଗଲା । ଏବେ ତ ସବୁଠି ବିଜୁଳି ଆଲୁଅ ହାଉଯାଉ । ଅନ୍ଧାର ଯେ ଜୀବନର ଅଂଶ, ତାହା ସ୍ୱୀକାର କରିବା ହିଁ ମୋତ ସେଇ ଭୟରୁ ମୁକ୍ତି ପାଇବାର ଶକ୍ତି ଦେଲା । କିନ୍ତୁ ଅନ୍ଧାର ଏବେ ବି ମୋ କବିତାର ଏକ ପ୍ରିୟ ରୂପକ; ଅଜଣା ଯେଉଁଟା, ଅନ୍ୟାୟ ଯେଉଁଟା, ସେଇଟାକୁ ମୁଁ ଅନ୍ଧାର ପରି ଦେଖି ଆସିଚି

ପ୍ରଶ୍ନ  – ଓଡ଼ିଆ କାବ୍ୟଜଗତ ବୋଲି ନୁହେଁ, ଭାରତୀୟ କାବ୍ୟଜଗତରେ ବି ଯଦି ଆପଣ ଦେଖିବେ, ବୋଧେହୁଏ ପର୍ସିଆନ୍ କବିତାରୁ କି କେଉଁଠି ଆସିଛି କି ନାହିଁ ଜଣା ନାହିଁ ମୋତେ, ଶହର୍ ଶହ୍ରା ଭିତରେ ଗୋଟେ ବିରାଟ ବଡ଼ ତଫାତ ଅଛି । ଯେଉଁଠି ସହର ହେଲା ସବୁ ବିନିର୍ମିତ ଜିନିଷର ଘର । ଆଉ ପ୍ରକୃତି ତେଣୁ ସହରରୁ ପୂରା ବାହାରେ । ଏଣୁ ଆମେ ଆମ ସାହିତ୍ୟରେ ସହର ଓ ପ୍ରକୃତିକୁ ଏକାଠି ପ୍ରାୟ ଦେଖି ପାରୁନା । କିନ୍ତୁ ଆପଣ ଯେତେବେଳେ ନିଜ ଆତ୍ମଜୀବନୀରେ ସମ୍ବଲପୁର ବିଷୟରେ କହୁଚନ୍ତି, କିମ୍ବା କଟକ ସମ୍ପର୍କରେ କହୁଚନ୍ତି - ଏଇ କଟକର ଗଛ, ଲତା, ପୋଖରି, ସକାଳ, ସନ୍ଧ୍ୟା, ପକ୍ଷୀ ଆଦି - ପ୍ରକୃତି ଆପଣଙ୍କର ସହରର ଅନୁଭୂତିର ବର୍ଣ୍ଣନାର ଗୋଟେ ବିରାଟ ବଡ଼ ଅଂଶ । ତାହା ଆପଣଙ୍କ କବିତା ବିଷୟରେ ମଧ୍ୟ ସତ୍ୟ ଆପଣଙ୍କର ଏଇ ସହରୀ ପ୍ରକୃତି ସହିତ (ଯଦି ସେପରି ଆମେ କହି ପାରିବା) ସମ୍ପର୍କ ବିଷୟରେ ଆପଣ କିଛି କୁହନ୍ତୁ

ୟନ୍ତ ମହାପାତ୍ର – ଦେଖୁନା ମୁଁ ମୋ' ଘରକୁ କେମିତି କରି ପକେଇଚି ବାଉଁଶ ଗଛ ଲଗେଇଚି ମୁଁ ଆଉରି ଏବେ ଗଛ କାଟି ଦେଲି କାରଣ ସରୋଜିନୀର ଘର କରିବା ପାଇଁ ଜାଗା କରିବାକୁ ଟିକେ ଗଛ କାଟି ଦେଇଚି ସାହାଡ଼ା ଗଛ, ପିଜୁଳି ଗଛ, ଆମ୍ବ ଗଛ... - କିଛି ଆମ୍ବ ଗଛ ମହାବାତ୍ୟାରେ ଯାଇ ଥିଲା; ଆଉ କିଛି ଥିଲା ଯାହା ଏଇ ବାତ୍ୟାରେ ଚାଲି ଗଲା ଆଉ ମୁଁ ଜାଣିନି, ଗାଁ ପ୍ରତି ମୋର ବହୁତ ନିବିଡ଼ ସମ୍ପର୍କ ରହିଚି ସେଇଟାକୁ କେବେ ବାଦ ଦେଇକି ମୁଁ ବଞ୍ଚି ପାରିବିନି ଘର ପାଖରେ ମୋର ଅଳିଆମଳିଆ ହେଇକି ପତର, ଗଛ - ସବୁ ଆସିବ, ଆସିଯାଏ ଭିତରକୁ ବର୍ଷା ଯେତେବେଳେ ହୁଏ, କାଲି ଯେତେବେଳେ ଝଡ଼ ହେଲା, ମୁଁ କବାଟ, ଖିଡ଼ିକି ସବୁ ମେଲେଇ ଦେଲି । ମୁଁ ଚାହିଁଲି କି ପବନ, ଘଡ଼ଘଡ଼ି, ବିଜୁଳି ଭିତରକୁ ଆସୁ; ଯେ ଧୂଳି ବି ଭିତରକୁ ଆସୁ । ମୋତେ କଟକର ଧୂଳି ମନ୍ଦ ଲାଗେନା । ମୋତେ କଟକର ବଞ୍ଚିବାର ଛଟକ ମନ୍ଦ ଲାଗେନା । ହେଲେ ଯେବେ ସବୁ କିଛିକୁ ଶୀଘ୍ର ବଦଳି ଯିବାର ଦେଖେ, ମୋତେ ବହୁତ ଖରାପ ଲାଗେ । ଗଛ ସବୁ ଚାଲିଗଲା ନଦୀ ଦୁଇଟା ପାଖରେ ଅଛି  । ଏକଦମ ବନ୍ଧ ତଳକୁ ପାଣି ଥିଲା କାଠଯୋଡ଼ି ବି ସେଇଆ ଥିଲା, ମହାନଦୀ ବି ସେଇଆ ଥିଲା । ମୁଁ ଷାଠିଏ, ସତୁରି ବର୍ଷ ତଳର କଥା କହୁଚି । ଏତିକି ଭାବିଲା ବେଳକୁ ଛାତିରେ କେମିତି ଗୋଟେ ଚାଉଁ କିନା ଲାଗେ । ଏମିତି ବଞ୍ଚି ହୁଏନା । ମୋତେ ତ ଏବେ ଲାଗୁଚି, ମୁଁ ଯେମିତି ଗୋଟେ ପୂରା ଅଲଗା ପରିବେଶରେ ବଞ୍ଚୁଚି ।

୨୦୧୧ ମସିହାରେ କଟକର ଗୋରାକବର (ୱିକିମିଡିଆ କମନ୍ସ୍)

ମୁଁ ପାଟନାରେ କଲେଜରେ ଯେତେବେଳେ ପଢ଼ିଲି, ବିହାରରେ, ସାଙ୍ଗମାନେ କହନ୍ତି,କଅଣରେ ତୁ ଓଡ଼ିଆମଗଧର ରାଜା କେମିତି ଯାଇକି ତୁମମାନଙ୍କୁ ଧ୍ୱଂସ କରିଦେଲେ ।’ ମୋ ମନ ସେତେବେଳେ ଭାରି ଦବି ଯାଉଥିଲା ସେ ଯୋଗୁ ମୁଁ ଅଶୋକଙ୍କୁ କେବେବ କ୍ଷମା ଦେଇ ପାରିନି ।  କ୍ଷମା ଦେଇ ପାରିନି ମୋ ଭୂଇଁର ଲକ୍ଷେ ଲୋକଙ୍କର ହତ୍ୟା ପାଇଁ । ଏ ଭୂଇଁ ମୋର ବୋଲି ମୁଁ ଭାବେ। ଏଣୁ ଅଶୋକଙ୍କୁ କ୍ଷମା ଦେବା ସମ୍ଭବ ନୁହେଁ । ଯେତେବେଳେ ଟ୍ରେନ୍ରେ ମୁଁ ପାଟନାରୁ କଟକ ଆସେ ଛୁଟିରେ, ଯେତେବେଳେ ବାଲେଶ୍ୱର ପାଖାପାଖି ହେବ, ଓଡ଼ିଆ ଭାଷା ଶୁଭିବ ତମ ଛାତି ଭିତର କଅଣ ହେଇଯାଏ । ଏତେ ଖୁସି ଲାଗେ କି ନିଜ ଘରକୁ ଫେରିଚ ବୋଲି । ସେଇ ଯୋଗୁ ଓଡ଼ିଶା ପ୍ରତି ମୋର ବେଶି ମମତା ଅଛି ମୁଁ ଯେତେବେଳେ ପିଲା ଥିଲି ଓଡ଼ିଆ କେବେ ମୋର ନଥିଲା ଖାଲି ଭାଷା ଯାହା କିଛି କହୁଥିଲି ଘରେ ହେଲେ ମୋର କିଛି ଥିଲା ଓଡ଼ିଶାର । ସେଇଥି ପାଇଁ ଯେଉଁ ପ୍ରଜାପତିକୁ ମୁଁ ପିଲାବେଳେ ଧରି ରଖି ପାରିଲିନି, ତାକୁ ପରେ ଆବୋରି ବସିବାକୁ ଚେଷ୍ଟା କଲି ।

ପ୍ରଶ୍ନ - ୱାଲଡେନ୍ ଆପଣଙ୍କର ଗୋଟେ ବହୁତ ପ୍ରିୟ ବହି ବୋଲି ଆପଣ ଠାଏ ଲେଖିଚନ୍ତି ଆପଣ ସମ୍ବଲପୁରରେ ତାହାକୁ ପ୍ରଥମେ ପଢ଼ିଲେ ଆପଣଙ୍କ କବିତାରେ ପ୍ରକୃତିକୁ ନେଇ ଗୋଟେ ବିରାଟ ବଡ଼ ଧାରା ଅଛି କେତେ ଆଲୋଚନା ହେଇଚି ମୁଁ ଜାଣିନି ବୋଧ ହୁଏ ହୋଇ ନାହିଁ । ଆପଣଙ୍କୁ ଜଣେ ପ୍ରକୃତି କବି ଭାବରେ ମଧ୍ୟ ଗଣାଯାଇପାରିବ । କିନ୍ତୁ ଆପଣ ସଚେତନ ଭାବରେ ଯେତେବେଳେ କବିତା ଲେଖିବା ଆରମ୍ଭ କଲେ, ସେବେ କଅଣ ପ୍ରକୃତି ବିଷୟକ କବିତା କିଛି ପଢ଼ୁଥିଲେ ?

ୟନ୍ତ ମହାପାତ୍ର – ନା । ହେଲେ ମୋର ଏହି ଭୂଇଁଟି ପାଇଁ ଯଥାର୍ଥ ଅନୁରକ୍ତି ଅଛି । ଏଇ ଦୁଇ ବର୍ଷ ତଳେ ମୁଁ ଛଅ ଶହ କିଲୋମିଟର ଯାଇ କୋରାପୁଟ ବୁଲାବୁଲି କରିକି ଆଇଲି ଏବେ ଫୁଲବାଣୀ ଯାଇକି ବୁଲି ଆଇଲି ଜଙ୍ଗଲ, ଜଳପ୍ରପାତ, ଆଦିବାସୀ ଗାଆଁ, ମୋତେ ତାଙ୍କ ସହ ଯାଇଁ କଥା ହେଇ ଭଲ ଲାଗେ । ଏବେ ଦୁଇ ମାସ ତଳେ, ଅମୀୟରଞ୍ଜନ ମହାପାତ୍ର, ମୁଁ, ସୁବୋଧ ନାୟକ, ଅମରେଶ ପଟ୍ଟନାୟକ, ଆମେ ସବୁ ଏକାଠି ଏଇ ବାରଙ୍ଗ ଜଙ୍ଗଲକୁ ଯାଇ ଭିତରେ ପଶି ଆଦିବାସୀ ଗାଆଁରେ ବୁଲାବୁଲି କରିକି ଆଇଲୁ ମୁଁ ଜାଣିନି ମୋତେ କାହିଁକି ସବୁ ଭଲ ଲାଗେ । ତାହାର କାରଣ ମୁଁ ଖୋଜି ବାହାର କରିବା ସମ୍ଭବ ନୁହେଁ ।... 

ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । 
ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...