ଥିବା ଓ ହେବା ଭିତରେ ତଫାତ୍
ସୁଜାତା ଭଟ୍ଟ
ଅନୁବାଦ - ଶୈଲେନ ରାଉତରାୟ
![]() |
| ୟୁକ୍ରେନ୍ ଦେଶର ବାଲି ଏଣ୍ଡୁଅ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/Сергій Мірошник |
![]() |
| ୟୁକ୍ରେନ୍ ଦେଶର ବାଲି ଏଣ୍ଡୁଅ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/Сергій Мірошник |
![]() |
| ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ସୁଦୀପ ପ୍ରମାଣିକ |
ଅଠର ବର୍ଷ ବୟସରେ ଗୋଦାବରୀଶ ନିଜର ଜାତକକୁ ଚିରି ଫୋପାଡ଼ି ଦେଇଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ । ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନଥିଲା, ସେହିପରି ତାଙ୍କର ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ ।
୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା' ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ ।
ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା ।
ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ । ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।
ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣୁ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ ।
ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିର ଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।
ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନଥିଲେ । ଏଣୁ ଶିକ୍ଷକଙ୍କଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ ।
ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି ।
ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା ।
ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ ।
ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନଥିଲା ।
ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଛ ଚିଲିକା ମାଛ ।
ବି.ଦ୍ର. - ଏହି ଲେଖାଟି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରୁ ନିଆଯାଇଛି । ବ୍ୟବହୃତ ସଂସ୍କରଣଟି ହେଲା କଟକସ୍ଥ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିର ପ୍ରକାଶ କରିଥିବା ୨୦୦୧ ମସିହାର ପରିମାର୍ଜିତ ଦଶମ ସଂସ୍କରଣର ୨୦୧୪ ସାଲରେ ପୁନର୍ମୁଦ୍ରିତ ଏକ ପ୍ରତି । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।
![]() |
| ଜର୍ମାନୀର ବନ୍ସବର୍ଗ ଦୁର୍ଗ (ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ନିର୍ମିତ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ମାର୍ଟିନ ଫାଲ୍ବିଶନର୍ |
![]() |
| ପାରଳାଖେମୁଣ୍ଡିର ଏକ ରାସ୍ତାର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/କାର୍ଲା ଆନ୍ତୋନିନି |
୧୯୫୬ ମସିହାର କଥା । ଅଗଷ୍ଟ-ସେପ୍ଟେମ୍ବର ମାସ । ସେତେବେଳେ କବି ଓ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ବରଷ ଶିକ୍ଷାଦାନ କରି ସାରି ନୂଆନୂଆ ପାରଳାଖେମୁଣ୍ଡି ପାଖ ଗୁରାଣ୍ଡିକୁ ବଦଳି ହୋଇଥାଆନ୍ତି । ଗୁରାଣ୍ଡି କବିଙ୍କର ଗାଁ ବାଣପୁରଠାରୁ ଅଢ଼େଇଶ କିଲୋମିଟର ଠାରୁ ମଧ୍ୟ ଦୂର ବାଟ । ସେତେବେଳେ ଗୁରାଣ୍ଡିକୁ ଯିବାର ତିନୋଟି ପି. ନିୟମ ପ୍ରଚଳିତ ଥାଏ । ତିନୋଟି ପି.ର ଅର୍ଥ ଇଂରାଜୀ ଭାଷାର ପି. ଅକ୍ଷରରୁ ଆରମ୍ଭ ତିନୋଟି ଶବଦ – ପୋଷ୍ଟିଙ୍ଗି, ପ୍ରମୋସନ ଓ ପନିଷିମେଣ୍ଟ । ଅର୍ଥାତ, ପ୍ରଥମ ଚାକିରୀ, ପଦୋନ୍ନତ୍ତି କିମ୍ବା ଦଣ୍ଡ ବିନା କେହି ଗୁରାଣ୍ଡି ଯାଉ ନଥିଲେ ।
କୁଷ୍ଟଁ ବାବୁ ଗୁରାଣ୍ଡି ଇସ୍କୁଲରେ ଯୋଗ ଦେବାର କିଛି ସପ୍ତାହ ଭିତରେ ତାଙ୍କର ଘୋର ମାନସିକ ଅବସାଦ ଦେଖାଦେଲା । ଏହିପରି ମାନସିକ ବିଷାଦ କବିଙ୍କ ପାଇଁ ପ୍ରଥମ ନଥିଲା । ଏହା ଆଗରୁ ଦୁଇଥର ସେ ଗଭୀର ମାନସିକ କଷ୍ଟ ଭୋଗିସାରିଥିଲେ । ପ୍ରଥମ ଥର ନିଜର ମା ଚାଲିଗଲା ପରେ । ୧୯୩୮ ମସିହାରେ । ମାତୃବିୟୋଗରେ କବିପ୍ରାଣରେ ଘୋର ଆଘାତ ଲାଗିଲା ସେତେବେଳେ କବିଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା ।
ଦ୍ୱିତୀୟ ଥର ନିଜର ପ୍ରାଣପ୍ରିୟ ଗୋପାଳ ଭାଇନା ହଇଜାରେ ଅସମୟରେ ପ୍ରାଣ ହରାଇଲା ପରେ । ସେତେବେଳେ କୁଷ୍ଟଁବାବୁଙ୍କୁ ମାତ୍ର ୩୨ ବର୍ଷ । ଭାଇ ଚାଲିଗଲା ପରେ କବିଙ୍କର ପରିବାରରେ ନାନା ଅଶାନ୍ତି ଦେଖାଦେଲା । ଭାଇଙ୍କୁ ଅକାଳରେ ହରାଇବାର ଦୁଃଖ ଓ ଏ ଅବ୍ୟବସ୍ଥା ତ୍ରିପାଠୀଏଙ୍କୁ କରାଇଲା ବିଷାଦଗ୍ରସ୍ତ ।
ପୂର୍ବକଥିତ ବୃତ୍ତାନ୍ତ ଅନୁସାରେ, ତୃତୀୟ ଛେକରେ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ମାନସିକ ଅବସାଦ ଗୁରାଣ୍ଡି ଆସିଲା ପରେ ଦେଖାଦେଲା । ମନ ଭଲ ରହିଲା ନାହିଁ । ଭୋଜନର ସ୍ପୃହା ଚାଲିଗଲା । ବେଳେବେଳେ ଭାତ ତଣ୍ଟିରେ ଗଳେ ନାହିଁ । ବାନ୍ତି ଲାଗେ । ବାବୁ ପ୍ରଧାନ ଶିକ୍ଷକ ଫକୀର ଚରଣ ପଟ୍ଟନାୟକଙ୍କ ସହିତ ମିଶି ଇସ୍କୁଲରେ ହିଁ ଶୋଉଥାଆନ୍ତି ।
ହେଲେ ଅଧିକାଂଶ ଦିନ ଫକୀର ବାବୁ ଶୋଇସାରିଲା ପରେ, କୁଷ୍ଟଁ ବାବୁଙ୍କ ଆଖିକୁ ନିଦ ଆସେ ନାହିଁ । ଇସ୍କୁଲୁ ଘଣ୍ଟାର ଆୱାଜ ଶୁଣିଶୁଣି ଅନେକ ଦିନ ରାତିର ଅର୍ଦ୍ଧାଧିକ କଟିଯାଏ । ସକାଳ ହେଲେ ଗାଧୋଇପାଧୋଇ ଆସି ଶେଯରେ ଯଥାକଥା କରି ଶୋଇପଡ଼ନ୍ତି । ଅଧା ନିଦ୍ରିତ । ଅଧା ଜାଗ୍ରତ । ଧିରେ ଧିରେ ମାନସିକ ଅବସାଦ ଓ ନିଦ୍ରାହୀନତା ଇସ୍କୁଲର କାମରେ ମଧ୍ୟ ପ୍ରଭାବ ପକାଇଲା । ଖାତା ଦେଖା ଠିକ ଭାବରେ ହୋଇପାରିଲା ନାହିଁ । ଅନ୍ୟମନସ୍କତା ପ୍ରକାଶ ପାଇଲା ।
କବି ଜାଣିଥିଲେ ଯେ ରୋଗ ଭଲ ହେବା ପାଇଁ ଦରକାର ଧୈର୍ଯ୍ୟ ଓ ସାହସ । ଦ୍ୱିତୀୟରେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ । ସେତେବେଳେ ମାନସିକ ଅବସାଦ ପାଇଁ ଓଡ଼ିଶାରେ ଡାକ୍ତରୀ ଔଷଧର ପ୍ରଚଳନ ପ୍ରାୟ ନ ଥାଏ । ଏ ଘଟଣାର ଷାଠିଏ ବରଷ ପରେ ମଧ୍ୟ ଅବସ୍ଥା କିଛି ବିଶେଷ ଭିନ୍ନ ନୁହେଁ ।
କୁଷ୍ଟଁବାବୁ ଅବସାଦକୁ ଦୂରେଇବା ପାଇଁ ଚଉକସ ଜଳଖିଆ ଖାଇବାକୁ ଆରମ୍ଭ କଲେ । ସକାଳୁ ଉଠି ଜଳଖିଆ ସହିତ କଞ୍ଚା ଅଣ୍ଡା ସହ କଫି ବା ଦୁଧ । ଦଶଟା ବେଳକୁ ଭାତ, ଡାଲି ଓ ତରକାରୀ ସହ ପାଏ ଖିର ଓ ଅର୍ଦ୍ଧ-ସିଦ୍ଧ ଡିମ୍ବ ଗୋଟାଏ । ସେହିପରି ରାତ୍ରିଭୋଜନ ସହିତ ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ସହିତ ଦୁଧ ଓ ଡ଼ିମ୍ବଭଜା । ଏହା ସହିତ ଔଷଧ ଭାବରେ ରତ୍ନପୁରୁଷ ଲେହ, ଛାଗଳାଦି ଘୃତ, ସିରପ, ଟନିକି, ଦିଲ୍ଲୀରୁ ସଙ୍ଗୃହିତ ହାକିମ ଦବାଇ, ଇତ୍ୟାଦିର ସେବନ ମଧ୍ୟ ହେଉଥାଏ ।
ସେତେବେଳେ ଗୁରାଣ୍ଡି ଇସ୍କୁଲୁରେ ଅଗାଧୁ ବୋଲି ଜଣେ ପିଅନ ବାବୁ ଥାଆନ୍ତି । ତ୍ରିପାଠୀ ବାବୁଙ୍କର ସେ ଅନେକ ସେବା କରନ୍ତି । ସକାଳେ ଓ ସନ୍ଧ୍ୟାବେଳେ ନିଇତି ମୁଣ୍ଡରେ ଭୃଙ୍ଗରାଜ ତୈଳ ମର୍ଦ୍ଦନ କରନ୍ତି । କୁଅରୁ ପାଣି କାଢ଼ି ମୁଣ୍ଡରେ ଢାଳି ଗାଧୋଇ ଦିଅନ୍ତି । ଖାଇବା ତିଆରି କରନ୍ତି । ଆଉ ଜଣେ ଥାଆନ୍ତି ଆପୁଡ଼ୁ ଆଜ୍ଞା । ଇସ୍କୁଲୁର ମେହେନ୍ତର । ଜର, ବାଧିକି ଇତ୍ୟାଦି ବେଳେ ଗୋଡ଼, ହାତ, ମୁଣ୍ଡ ଘଷି ଦିଅନ୍ତି । ଗୋଡ଼େ ଗୋଡ଼େ ଜଗିକି ରହନ୍ତି, ଯେମିତି ବାବୁ ଆପଣେ ଭଲରେ ରହିବେ ଆଉ ବାଧିକି ଦିହକୁ ପରାଶ ନଦେବ ।
ନିଜର ଯତ୍ନ ନେଇ, ଆଉ ଏଇ ଦୁଇଜଣ ତଥାକଥିତ ଅଶିକ୍ଷିତ ଲୋକଙ୍କର ସେବାଯତନରେ, ମାନସିକ ଅବସାଦରେ ଶୁକୁଟି ଆସୁଥିବା ଜୀବନଲତାଟି ପୁଣି ରସ ସଙ୍ଗ୍ରହ କଲା, ନୂଆ ପତର ଦେଲା । ଖରାଛୁଟି ବେଳକୁ ଘରକୁ ବାଣପୁର ଫେରିଲା ବେଳକୁ ଆଉ ଅବସାଦ ନଥିଲା ।
ଟୀକା: ଲେଖାଟି ପାଇଁ ଉପାଦାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ ‘ନିରବଧି ନିରବ’ରୁ ନିଆଯାଇଛି । ଲେଖକ ଦ୍ୱାରା ବହିଟିର ବ୍ୟବହୃତ ସଂସ୍କରଣଟି ୨୦୧୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥ ପ୍ରକାଶକ ‘ସମନ୍ୱୟ’ଙ୍କ ଦ୍ୱାରା ପ୍ରକାଶିତ । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।
The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...