ନିଜକୁ
ରମାକାନ୍ତ ସାମନ୍ତରାୟ ମନେ କରି
ବା
ଅନ୍ଧାର ଦିଅ ଆଲୁଅ ନିଅ
ଶୈଲେନ
ରାଉତରାୟ
 |
| ରମାକାନ୍ତ ସାମନ୍ତରାୟଙ୍କ ବହି 'ଶୂନ'ର ମଲାଟ |
ଲାରେ
ଲାପା ଲାରେ ଲାପା ଡାକେ କୋଇଲି ।
କୋଇଲିର
ଡାକ ଶୁଣି ବୁଲି ପଇଲି ।
ଦେଖିଲି
ସେ ପିକ ନୁହେଁ ଅଟେ ମୟୂର ।
ମୟୂରର
ଶୋଭା ଦେଖ କି ମନୋହର ।
ମୟୂର ପାଖରେ
ଦେଖିଲା ବେଳକୁ ବୁଲୁଚି ରଜା । ରଜା ମାନେ କଳିଙ୍ଗର ରଜା ନୁହେଁ, ବଙ୍ଗାଧୀଶ ନୁହେଁ, ଅଙ୍ଗଦେଶର
ସମ୍ରାଟ ବି ନୁହେଁ, ପୁରା ଜମ୍ବୁଦ୍ୱୀପର ଅଧୀଶ୍ୱର । ହେଲେ ଅବଧୂତ ଭଳିଆ ଲଙ୍ଗଳା । ମୁଁ ମୟୂରକୁ
ପଚାରିଲି, କିରେ, ଏ ରଜାଟାକୁ ଲାଙ୍ଗୁଡ଼ରେ ଯାକି ବୁଲଉଚୁ, ତା’ର ଜାମା କାଇଁ ? ସିଏ କହିଲା, ଏ ଚଷା ଟୋକା, କଅଣ ବଢ଼ିବଢ଼ି
କଥା କହୁଚୁ । ସୂରୁଜକୁ ବଇଠା ଦେଖଉଚୁ ? ତୋ’ ଆଖି କଅଣ ଫୁଟିଯାଇଚି ? ରଜା ପିନ୍ଧିଚି ରୋମ୍ର ପ୍ରଚକ୍ଷୁ, ଚୀନର
ରେଶମ ପାଜାମା, କାଶ୍ମୀରର କୁରୁତା । ତୁ ଅଳପେଇସା କଅଣ କହୁଚୁ ନା ଲଙ୍ଗଳା । ଯା, ଫୁଟ୍ । ସତକୁ
ସତ ତାକୁ ଥରେ ଆଖି ମିଟିକା ମାରି ଫିଟେଇଲା ବେଳକୁ, ଆଉ ମୋତେ କିଛି ଦିଶିଲାନି । ଯାହା ହେଲେ ବି
ରଜାର ମୟୂର ନା । ହେଲେ ଥରେ ମୋ ଆଖି ଫୁଟିଗଲା ପରେ, ମୋତେ ମୟୂରର ଡାକ ଆଉ କୋଇଲିର ରାବ ଭଳି
ଶୁଭିଲାନି; ଠିକ ମୟୂରର
ଖେଚେର୍ଖେଚ୍ ଭଳିଆ ହିଁ ଶୁଣାଗଲା । ସେଉଠୁ ମୁଁ ଏକା ଡିଆଁଟେ ମାରି ପହଞ୍ଚିଗଲି ରମା ଭାଇଙ୍କ
ବସାରେ ।
ସେ
ମୋତେ,
କଂସା
ଗିଲାସରେ ପିଇବାକୁ ଦେଲେ ଗରୁଡ଼ ଗୋବିନ୍ଦ ପଣା ।
କାହାକୁ
କେମିତି ତୋଷିବାକୁ ହୁଏ ତାଙ୍କୁ ହିଁ କେବଳ ଜଣା ।
ରୂପା
ତାଟିଆରେ ପରସିଲେ ମୋତେ କାଳିଆ ଗାଇର ସର ।
ସୁନା ଥାଳିଆରେ
ବାଢ଼ିଦେଲେ ପୁଣି ଖେଚେଡ଼ି, ଖଣ୍ଡ, ଶାକର ।
ଯେତିକି ଖାଇଲି ତ
ଖାଇଲି । ଗାମୁଛାରେ ଝିଅ, ମାଇକିନା ଓ ବୋଉ ପାଇଁ ବି ବାନ୍ଧିଲି । ବାନ୍ଧି ସାରିଲା ପରେ ଯାଇ
ମନେ ପଡ଼ିଲା ମୟୂର କଥା ଆଉ ମୋ ଆଖି କଥା । ମୁଁ ନୂଆ ଅନ୍ଧ ପ୍ରାୟ ହୋଇଥିବାରୁ ବାହୁନିଲି ।
ସେ କହିଲେ, ଏଇ
କଥାକୁ ନାଆଁ ଠେସି ଦେଲି ବାରଣାସୀକୁ । ରହି ଯା । ହାଜ୍ମାକୁ ଦୋରସ୍ତ କରିବା ପାଇଁ ଜୁଆଣି
ଟିପେ ଦେଲେ ଆଉ କହିଲେ, ‘କାଉ ଯୋଉଦିନ ଶୁଆ ସାଙ୍ଗରେ ସଙ୍ଗାତ ବସିଲା, ସେଇ ଦିନରୁ ଚଢ଼େଇମାନଙ୍କ ନୂଆ ବର୍ଷ ଆରମ୍ଭ ହେଲା’ । ଗୋଟିଏ ଗପର ଲାଞ୍ଜକୁ ଆହୁରି ଗୋଟିଏ । ଏମିତି
ଗପ ଶୁଣୁ ଶୁଣୁ ମୁଁ ଗାମୁଛା ଫିଟେଇ ଚିଜତକ ସାରି ଦେଲି । ପେଟରେ ଖାଇବା ହଜମ ହେଲା ବେଳକୁ
ଜ୍ଞାନାଞ୍ଜନ କର୍ଣ୍ଣଗହ୍ୱର ପଟେ ପଶି ଆଖି ପଟେ ବାହାରି ତା’କୁ ସଫା କରିବାକୁ ଆରମ୍ଭ କଲା । ସେ ଯେଉଁ
କାନ୍ଦ । ମୋ ବୋପା ମଲା ଦିନ ବି ମୁଁ ସେମିତି ବାହୁନି ନଥିଲି ।
ଆଖି ଆଗର କଳା ପରଦା ସିନା ହଟିଯାଇଥିଲା । ହେଲେ ଗୋଟିଏ
ଦୁଇ-ମୁଣ୍ଡିଆ ଛେଳିର ଲାଞ୍ଜରୁ ଝୁଲୁ ଥିବାର ମୁଁ ଦେଖିଲି ଏଇ ପ୍ରଶ୍ନଟି, ଗପଟି
ତା’ର ପୂର୍ବ ଚିତ୍ରର
ନା ପରର । ଚିତ୍ର ଟି ତା’ ପର
ଲେଖାର, ନା ପୂର୍ବର ନା ଅନ୍ୟ କୌଣସି ପୃଷ୍ଠାର । ନବଗୁଞ୍ଜରର ରକ୍ତର ନଈରେ ଭାସିଯାଉଥିବାର
ଦେଖିଲି ଏଇ ପ୍ରଶ୍ନଟି, ଗଛଗୁଡ଼ିକ ହାତଙ୍କୁ ଧରିଚନ୍ତି ନା ହାତଗୁଡ଼ିକ ଗଛଙ୍କୁ । ଆକାଶରେ ମେଳି
ବାନ୍ଧି ଉଡ଼ୁଥିବା ଟିପ ଚିହ୍ନରେ ଲେଖା ଦୁଶିଲା ଆଉ ଗୋଟାଏ, ଆଗ ଟିପ ଚିହ୍ନ ଆସିଲା, ନା ଟିପ ଆଗ
। ମୋ ଆଈର କେଉଁ କାଳୁ ଭାଙ୍ଗିଯାଇଥିବା ପଣସ କାଠର ସିନ୍ଦୁକର କଡ଼ରେ ଦେଖିଲି ଡେଉଁଚି ଏଇ
ପ୍ରଶ୍ନଟି, ଯେଉଁ ହାତଟି କାତି ଧରିନି, ସେଇଟି କେଉଁଠି । ମୋ କାନ ପାଖରେ କିଏ ଗୋଟାଏ
ସିରିସିରେଇ ଉଠିଲା, ଆପଣଙ୍କ ହାତରେ କେଉଁ ଠିକିରି - କଳା, ପାଉଁଶିଆ, ଆକାଶିଆ ନା ଧଳା । ମୋ
ହାତ ଉପରେ କିଏ ଲେଖି ଦେଲା ଭଳି ଲାଗିଲା, ମାଛମାନେ ଜାଲ ଭିତରେ ପଡ଼ନ୍ତି, ନା ଜାଲ ପଡ଼େ
ମାଛମାନଙ୍କ ଉପରେ ।
ଏ କାଣ୍ଡ
କାରଖାନା ଦେଖି ମୁଁ କହିଲି, ‘ଭାଇ,
ତେମେ ତ ଏଲୋପାଥି ଓଷଦ । ଜର କମେଇ ଦେଇ ମୋତେ ଡାଇରିଆ କରେଇ ଦେଲ ।‘ ସେଉଠୁ ସେ ଗୋଟାଏ ଖନ୍ଦ ଚିତ୍ର ଆଣିଲେ ।
ମୋତେ ଥରେ ଲେଖାଏ ଦେଖେଇ ସାରି ତା’କୁ
ନାଲି ରଙ୍ଗର ମହମବତୀରେ ପୋଡ଼ି ମୋ ଦିହମୁଣ୍ଡରେ ବୋଳି ଦେଲେ । ସବୁ ପ୍ରଶ୍ନ, ଆୱାଜ୍, ଶିହରଣ
ଉଭେଇଗଲା । ଆଖିକୁ ଠିକଠିକ ଦୁଶିଲା । ବାକି ରହିଗଲା ଖାଲି ମୁଣ୍ଡବିନ୍ଧା । ଆଉ ଗୋଟେ ପଲ ମୟୂର
ଘଣ୍ଟାଏ କାଳ ରଡ଼ି ଛାଡ଼ି ତୁନି ପଡ଼ି ଥିବା ଭଳି ସାତକୋଶିଆ-ସମ ଗଭୀର ନୀରବତା ।
ମୋ
କଥାଟି ସରିଲା । ଫୁଲ ଗଛଟି
ମରିଲା ।
ହଇରେ
ଫୁଲ ଗଛ ତୁ କାହିଁକି ମଲୁ । କାହିଁକି
ନା ମୋ ପତରସବୁକୁ ପୋକ ଚରିଗଲେ ।
ହଇରେ
ପୋକ, ତୁ ଫୁଲ ଗଛକୁ ପୁରା କାଇଁ ଚରିଗଲୁ । କାହିଁକା ନା,
ବାରିର ଆଉ ସବୁ ଗଛକୁ ପଧାନ ଘର କସରା ଗାଈ ଖାଇଗଲା ।
ହଇରେ
ପଧାନ ଘର ଗାଈ, ତୁ ମୋ ବାଡ଼ିର ଗଛ କାଇଁ ଖାଇଲୁ । ସେ
କଇଲା, ପଧାନ ଘର ବୋଉ ମୋତେ ପେଜ ଦେଲାନି ।
କିଲୋ
ପଧାନ ଘର ବୋଉ, ତୁ କସରା ଗାଈକୁ ପେଜ କିଆଁ ଦେଲୁନି । ସେ
କହିଲା, ମୋ ପୁଅ କାନ୍ଦିଲା ଯେ କାନ୍ଦିଲା ଯେ କାନ୍ଦିଲା ।
ହଇରେ ପୁଅ ତୁ
କାଇଁକି କାନ୍ଦିଲୁ ଯେ କାନ୍ଦିଲୁ ଯେ କାନ୍ଦିଲୁ ? ସେ
କହିଲା, ମୁଁ ସ୍ୱପ୍ନ ଦେଖୁଥିଲି ଯେ, ରଜା ମୋତେ ଧରି ଗେଲ କରୁଚି । ସେତିକି ବେଳେ ତୁ
ଘୋଡ଼ାମୁହାଁ ତା’ ମୟୂରକୁ
ଜବାବ ଦେଲୁ ଯେ, ସେ ତୋତେ ଶାପ ଦେଇ ରଡ଼ିଟେ ମାଇଲା ଆଉ ତା’ ବଉଁଶଯାକ
ପାଳି ଧରିଲେ । ତାଙ୍କ ପାଲାରେ ମୋ ମନରେ ଛନକା ପଶିଗଲା ।
ମୁଁ ମୟୂରର
ବଉଁଶକୁ ପଚାରିଲି ଯେ, ହଇହେ, ଗୋଟିଏ ରଡ଼ି ଛାଡ଼ିଲେ ଯଥେଷ୍ଟ ହୋଇ ନ ଥାଆନ୍ତା କି ? ସେମାନେ ମିଶି କରି ଏକା ସାଙ୍ଗରେ ବୋବାଳି
ଛାଡ଼ିଲେ – ଆମେ ରଜା ପାଖେ ପାଖେ ଥାଉ, ଯୋଉଠି ଦେଖୁଁ କଅଁଳ ସପନ ମିଳିମିଶି ପଶି ଯାଉ ।
ବି.ଦ୍ର. - ଏହି ଲେଖାଟି ଲେଖକ ଓ କଳାକାର ରମାକାନ୍ତ ସାମନ୍ତରାୟଙ୍କର ଅଣୁଗଳ୍ପ ଓ ଚିତ୍ର ସମ୍ବଳିତ ପରୀକ୍ଷାଧର୍ମୀ ବହି 'ଶୂନ'ର ମୁଖବନ୍ଧ ଅଟେ । ବହିଟି ଡବ୍ଲିନ୍, ଓହାଇଓ, ସ୍ଥିତ ସଂସ୍ଥା 'ବ୍ଲାକ୍ ଇଗଲ୍ ବୁକ୍ସ୍'ଙ୍କ ଦ୍ୱାରା ଅକ୍ଚୋବର ୨୦୨୦ରେ ପ୍ରକାଶିତ ହୋଇଅଛି ।